Wed. Jun 10th, 2026

Odisha Digest

Leading e-news Portal

ମହିଳାଙ୍କ ଆବେଗକୁ ଦୃଷ୍ଟିରେ ରଖି ଅବକାରୀ ନୀତି ନିର୍ଦ୍ଧାରଣ କରାଯାଉ: ସୌମ୍ୟରଂଜନ

1 min read

ଭୁବନେଶ୍ୱର: ମହିଳାମାନଙ୍କ ଆବେଗକୁ ଲକ୍ଷ୍ୟରେ ରଖି ମହିଳାଙ୍କ ସ୍ୱାର୍ଥ ଅନୁକୂଳ ଅବକାରୀ ନୀତି କରାଯାଉ ବୋଲି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବିଧାନସଭାରେ ମତ ପ୍ରକାଶ କରିଛନ୍ତି।

ମଦରୁ ରାଜସ୍ୱ ଆୟ ସଂକ୍ରାନ୍ତରେ ଏକ ମୌଖିକ ପ୍ରଶ୍ନ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରି ବିଧାୟକ ଶ୍ରୀ ପଟ୍ଟନାୟକ କହିଲେ,ମଦ୍ୟପାନ ଯୋଗୁଁ ମଦ୍ୟପାନକାରୀଙ୍କର ସ୍ୱାସ୍ଥ୍ୟ ହାନି ଏବଂ ପରିବାରରେ ଶାନ୍ତି ହାନି ଘଟୁଥିବା ଦୃଷ୍ଟିରୁ ମହିଳାମାନେ ମଦ ପ୍ରସାର ବିରୁଦ୍ଧରେ ଆନ୍ଦୋଳନ କରି ଆସୁଛନ୍ତି। ସେମାନଙ୍କର ଆବେଗକୁ ଦୃଷ୍ଟିରେ ରଖି ସେମାନଙ୍କର ସ୍ୱାର୍ଥ ଅନୁକୂଳ ଅବକାରୀ ନୀତି କରାଯିବା ପାଇଁ ସେ ପରାମର୍ଶ ଦେଇଥିଲେ।

ମଦର ପ୍ରସାର ଦ୍ୱାରା ସମାଜର କି ଲାଭ ହେଉଛି ଏବଂ ମଦର ପ୍ରସାର ରୋକାଗଲେ କେତେ ରାଜସ୍ୱ ହାନି ଘଟିବ ରାଜ୍ୟର ଅର୍ଥନୀତି ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ଏକ ନିରପେକ୍ଷ କମିଟି ଦ୍ୱାରା ଅନୁଧ୍ୟାନ କରାଯିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ।
ଶ୍ରୀ ପଟ୍ଟନାୟକ କହିଲେ ଯେ ମଦ୍ୟପାନ କରି ଗାଡ଼ିଚାଳନା ଯୋଗୁଁ ରାଜ୍ୟରେ ଦୁର୍ଘଟଣା ବୃଦ୍ଧି ପାଉଛି। ତେଣୁ ଏହି ଦୁର୍ଘଟଣା ଯୋଗୁଁ ଗୁରୁତ୍ୱର ଆହତ ବ୍ୟକ୍ତିଙ୍କ ସଂଖ୍ୟା ବଢୁଛି ଏବଂ ଏଥିଯୋଗୁଁ ରାଜ୍ୟର ଡାକ୍ତରଖାନା ଉପରେ ଚାପ ବଢୁଛି।

ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କର ସଂପର୍କୀୟ ଦୁର୍ଘଟଣାରେ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହେଉଥିବା ବେଳେ ଅନ୍ୟ ରୋଗୀଙ୍କୁ ଚଟାଣରେ ଶୋଇ ଚିକିତ୍ସିତ ହେବାକୁ ପଡ଼ୁଛି ବୋଲି ସେ କହିଥିଲେ। ମଦରୁ ରାଜସ୍ୱ ଆୟ ସଂକ୍ରାନ୍ତରେ ବିଜେପି ବିଧାୟକ ମୋହନ ଚନ୍ଦ୍ର ମାଝୀଙ୍କର ମୂଳପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ,ମଦ୍ୟପାନର କ୍ଷତିକାରକ ବ୍ୟବହାରକୁ ପ୍ରତିହତ କରିବା ସରକାରଙ୍କ ଆଭିମୁଖ୍ୟ ଅଟେ। ରାଜ୍ୟରେ ମଦ୍ୟପାନରେ ଅଭ୍ୟସ୍ତ ବ୍ୟକ୍ତି ବିଶେଷଙ୍କୁ କିପରି ଗୁଣାତ୍ମକ,ନିରାପଦ ଓ ଉଚିତ ମୂଲ୍ୟରେ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ମାଧ୍ୟମରେ ମଦ ଉପଲବ୍ଧ ହେବ ତାହା ସରକାର ନିଶ୍ଚିତ କରିଥାନ୍ତି ବୋଲି ମନ୍ତ୍ରୀ କହିଥିଲେ।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.