Sun. May 24th, 2026

Odisha Digest

Leading e-news Portal

ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର

1 min read

ଭୁବନେଶ୍ୱର: ଦୀର୍ଘ ଦୁଇ ମାସ ପରେ ଦୁବାଇରେ ଫସିଥିବା ଯାଜପୁର ଅଞ୍ଚଳର ୪ ଜଣ ଯୁବକଙ୍କୁ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା-ମୋ ପରିବାର ତରଫରୁ ଆଜି ଭୋର ୨ଟା ୧୫ରେ କୋଲକାତା ବିମାନବନ୍ଦରରୁ ଏହି ୪ ଜଣ ଯୁବକଙ୍କୁ ଟ୍ରେନ୍‌ରେ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱରରେ ପହଞ୍ଚିବା ପରେ ଯୁବକମାନଙ୍କୁ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟ ଆବାହକ ଅରୂପ ପଟ୍ଟନାୟକ, ସହ ଆବାହକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଭ୍ୟ ତଥା ଭୁବନେଶ୍ୱର ବିଧାୟକ (ଉତ୍ତର) ସୁଶାନ୍ତ ରାଉତ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ବରିଷ୍ଠ ପ୍ରଶାସନ ରବିନ୍ଦ୍ର ସେଠୀ, ଓଡ଼ିଶା ମୋ-ପରିବାର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା।

ସୂଚନାଯୋଗ୍ୟ ଯାଜପୁର ଜିଲ୍ଲାର ନାଥପୁର ଗ୍ରାମର ଦୁଇଭାଇ ଅଶୋକ କୁମାର ଜେନା ଓ ସୁବାଷ କୁମାର ଜେନା ବିଭିନ୍ନ ସମୟରେ ଯୁବକମାନଙ୍କୁ ଚାକିରି ପ୍ରଲୋଭନ ଦେଖାଇ ନିୟମିତଭାବେ ଦୁବାଇକୁ ନେଉଥିଲେ। ଏମାନଙ୍କ ପ୍ରଲୋଭନରେ ଜିଲ୍ଲାର କୋଲନାଗିରି ଗ୍ରାମର ଦୀପକ କୁମାର ସେଠୀ, ସଂଜୟ କୁମାର ଜେନା, ବିଜୟ କୁମାର ସାହୁ ଓ ଅରେଇକଣା ଗ୍ରାମର ଚିରଞ୍ଜିବୀ ଜେନା ଦୁବାଇ ଯାଇଥିଲେ। ସେଠାରେ କମ୍ପାନି ତରଫରୁ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯିବା ସହ ମିଥ୍ୟା ମାମଲାରେ ଫସାଇ ଦିଆଯାଇଥିଲା। ଦୁବାଇରୁ ୩ଜଣ ଯୁବକ ଘରକୁ ଫେରିଥିଲେ କିନ୍ତୁ ଏହି ୪ ଜଣ ଯୁବକଙ୍କୁ ନେଇଥିବା ଦଲାଲ ସେଠାରେ ଏକ ଲେବର କୋର୍ଟରେ ମାମଲା ରୁଜୁ କରିଥିବାରୁ ନ୍ୟାୟିକ ସମସ୍ୟା ପାଇଁ ଆସିବା ବିଳମ୍ବିତ ହୋଇଥିଲା। ସେଠରେ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଦିଆଯାଇଥିଲା।

ତେବେ ୭ ଜଣଙ୍କ ବିଷୟରେ ଗତ ବର୍ଷ ଡିସେମ୍ବର ୫ ତାରିଖରେ ସ୍ଥାନୀୟ ସାମ୍ବାଦିକ ତପନ ଭଞ୍ଜ ଖବର ପାଇଁ ବିଧାୟକ ତଥା ମୋ-ପରିବାର ଓଡ଼ିଶାର ସହ ଅଧ୍ୟକ୍ଷ ଅତନୁ ସବ୍ୟସାୀ ନାୟକଙ୍କ ସହାୟତା ନେଇ ମୋ-ପରିବାର ଓଡ଼ିଶାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଦାସ, ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ରବିନ୍ଦ୍ର ସେଠୀଙ୍କୁ ଜଣାଇଥିଲେ। ଏହି ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ହେଲାପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ମୋ ପରିବାର ଏବଂ ଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ରେସିଡେନସିଆଲ କମିସନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଦୁବାଇସ୍ଥିତ ଭାରତୀୟ ଦୂତାବାସ ତରଫରୁ ଏହି ୪ ଜଣ ଯୁବକଙ୍କୁ ଆଇନ ସହାୟତା ଏବଂ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଇଥିଲା।

ଏଥି ସହ ଓଡ଼ିଶା ସରକାରଙ୍କ ରେସିଡେନ୍ସିଆଲ କମିସନର ରବିକାନ୍ତ ଓ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ଓଡ଼ିଶା ମୋ-ପରିବାର ଆଇନ ପରାମର୍ଶଦାତା ଅବନୀ କାନ୍ତ ସାହୁ ବିଶେଷ ଭୂମିକା ଗ୍ରହଣ କରିଥିଲେ।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.