Sun. May 24th, 2026

Odisha Digest

Leading e-news Portal

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ୱାମୀ ଇସ୍ତଫା ଦେବେ !

1 min read

ବେଙ୍ଗାଲୁରୁ: ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ୱାମୀ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ସୋମବାର ସଂଧ୍ୟା ୬ଟାରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସଂଧ୍ୟା ୭ଟାରେ ସେ ରାଜ୍ୟପାଳ ବାଜୁଭାଇ ଭଲ୍ଲାଙ୍କୁ ଭେଟିବା ଲାଗି ସମୟ ନେଇଥିବାରୁ ରାଜନୈତିକ ମହଲରେ ଏପରି ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଅନ୍ୟ ଏକ ସୂତ୍ର ଅନୁସାରେ, କୁମାରସ୍ବାମୀ ରାଜ୍ୟପାଳଙ୍କୁ ଭେଟିବା ଲାଗି ଇସ୍ତଫା ଦେଇ ନ ଥିବା ସୂଚନା ମିଳିଛି। ଫଳରେ କୁମାରସ୍ବାମୀଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ପ୍ରହେଳିକା ଦେଖାଯାଇଛି।

କର୍ଣ୍ଣାଟକ ବିଧାନସଭାରେ ଜାରି ରହିଛି ଆସ୍ଥା ଭୋଟ ଉପରେ ଆଲୋଚନା। ୧୬ ବିଧାୟକଙ୍କ ଇସ୍ତଫା ପରେ ସଂକଟ ଭିତରକୁ ଠେଲି ହୋଇଯାଇଥିବା କର୍ଣ୍ଣାଟକର ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ସଂଖ୍ୟା ଲଘୁ ହୋଇ ଯିବା ପରେ ବିରୋଧୀ ବିଜେପି ପକ୍ଷରୁ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ଦାବି କରାଯାଇଥିଲା।

ଅନ୍ୟପକ୍ଷରେ କର୍ଣ୍ଣାଟକର ବାଚସ୍ପତି କେ.ଆର୍‌.ରମେଶ କୁମାର ସଂଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି।

କର୍ଣ୍ଣାଟକର କଂଗ୍ରେସ-ଜେଡି(ଏସ୍‌) ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଦୁଇଜଣ ସ୍ୱାଧୀନ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ସୋମବାର ସକାଳେ ସୁପ୍ରିମ୍‌ କୋର୍ଟ ମନା କରି ଦେଇଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ଫ୍ଲୋର୍‌ ଟେଷ୍ଟ୍‍ ସାରିବାକୁ ଜେଡି(ଏସ୍‌)-କଂଗ୍ରେସ ସରକାରଙ୍କୁ ଅଦାଲତ ନିର୍ଦେଶ ଦେଉ ବୋଲି ସେମାନେ ଆବେଦନ କରିଥିଲେ।

କିନ୍ତୁ, ଜରୁରୀ ଭିତ୍ତିରେ ଏହି ଆବେଦନର ଶୁଣାଣି କରାଇବାକୁ ସୁପ୍ରିମ୍‌ କୋର୍ଟ ମନା କରି ଦେବା ସହ କହିଥିଲେ ଯେ କର୍ଣ୍ଣାଟକ ବିଧାନସଭାରେ ପଡ଼ି ରହିଥିବା ଆସ୍ଥାଭୋଟ୍‌ ମାମଲାରେ ହସ୍ତକ୍ଷେପ କରାଯିବ ନାହିଁ।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.