ଆଦିତ୍ୟ ଠାକ୍ରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରାଇବା ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି ଏହି ରଣନୀତିକାର!
1 min read
ମୁମ୍ବାଇ: ନିର୍ବାଚନ ରଣନୀତି ପ୍ରସ୍ତୁତିକାରୀ ପ୍ରଶାନ୍ତ କିଶୋର ଏବେ ଶିବସେନାର ଯୁବ ଶାଖାର ମୁଖ୍ୟ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍ରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରାଇବା ଲାଗି ରଣନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି। ଏଥିଲାଗି ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ କ୍ରମେ ଆଦିତ୍ୟ ଠାକ୍ରେ ଜନ ଆଶୀର୍ବାଦ ଯାତ୍ରାର ଶୁଭାରମ୍ଭ କରିଛନ୍ତି।
କୁହାଯାଉଛି ଯେ ପ୍ରକାଶ କିଶୋରଙ୍କ ଜରିଆରେ ଶିବସେନା ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି। ଏଥର ପ୍ରଥମ ଥର ପାଇଁ ଠାକ୍ରେ ପରିବାରର ଜଣେ ସଦସ୍ୟ (ଆଦିତ୍ୟ ଠାକ୍ରେ)ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ପୂର୍ବରୁ ଉପସ୍ଥାପିତ କରାଯିବ।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୪ରେ ପ୍ରଶାନ୍ତ କିଶୋର ବିଜେପିର ରଣନୀତି ପ୍ରସ୍ତୁତକାରୀ ଥିଲେ। ଗତ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ ହିଁ ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ରଣନୀତି ପ୍ରସ୍ତୁତକାରୀ ଥିଲେ। ତେବେ କଂଗ୍ରେସର ରଣନୀତିକାର ଭାବେ ଫେଲ୍ ମାରିଥିଲେ ପ୍ରଶାନ୍ତ କିଶୋର। ସଂପ୍ରତି ପ୍ରଶାନ୍ତ କିଶୋର ନିତିଶ କୁମାରଙ୍କ ଜେଡିୟୁର ଉପାଧ୍ୟକ୍ଷ ଅଛନ୍ତି।
