Sun. May 24th, 2026

Odisha Digest

Leading e-news Portal

ଖସୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ୫୫ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ, ବନ୍ଦ ହେଲା ବୁର୍ଲାର ୨ ୟୁନିଟ

1 min read

ସମ୍ବଲପୁର : ଖସୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ବନ୍ଦ ହେଲା ବୁର୍ଲା ଜଳ ବିଦ୍ୟୁତ କେନ୍ଦ୍ରର ୨ଟି ୟୁନିଟ। ଏଥିଯୋଗୁଁ ବୁର୍ଲା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୫୫ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ ବୋଲି କହିଛନ୍ତି ଜିଏମ ଜ୍ଞାନରଂଜନ ଦାଶ। ମଙ୍ଗଳବାର ଚିପିଲିମା ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୨୦ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବାର ସମ୍ଭାବନା ରହିଥିବା କହିଛନ୍ତି ଏହାର ୟୁନିଟ ପ୍ରମୁଖ ଦେବାଶିଷ ମିଶ୍ର। ଉପରମୁଣ୍ଡରେ ବର୍ଷା ନହେଲେ ମଧ୍ୟ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୫ ଫୁଟ ପର୍ଯ୍ୟନ୍ତ ରଖାଯାଇ ଜଳସେଚନ ଯେଉଁଭଳି ପ୍ରଭାବିତ ନହେବ ଏଥିପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ।

ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ହେଉନି ବର୍ଷା। ଏଥିଯୋଗୁଁ ଏହାର ପ୍ରଥମ ଝଟକା ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିଛି। ସୋମବାର ଜଳଭଣ୍ଡାରରୁ ପାୱାର ଚେନାଲକୁ ମିଳିଛି ମାତ୍ର ୩୫୦୦ କ୍ୟୁସେକ ପାଣି। ଏ ନେଇ ଏସଏଲଡିସିରୁ ଆବଶ୍ୟକ ନିର୍ଦେଶ ପରେ ବୁର୍ଲା ଜଳବିଦ୍ୟୁତ କେନ୍ଦ୍ରର ୨ଟି ୟୁନିଟ ବନ୍ଦ କରାଯାଇଛି। ଫଳରେ ମାତ୍ର ଗୋଟିଏ ୟୁନିଟ ଜରିଆରେ ହିଁ ଏଠାରେ ବିଜୁଳି ଉତ୍ପାଦନ କରାଯାଉଛି। ବୁର୍ଲା ପାୱାର ହାଉସ୍‌ରେ ଓଏଚପିସି ବିଜୁଳି ଉତ୍ପାଦନ କ୍ଷମତା ୨୭୫.୫ ମେଗାୱାଟ ଏବଂ ଚିପିଲିମାରେ ୭୨ ମେଗାୱାଟ। ବୁର୍ଲାରେ ୭ଟି ୟୁନିଟ ଥିଲେ ମଧ୍ୟ କେବଳ ୩ଟି ୟୁନିଟ ଜରିଆରେହିଁ ବିଜୁଳି ଉତ୍ପାଦିତ ହୋଇ ସର୍ବାଧିକ ପ୍ରାୟ ୬୭ ମେଗାୱାଟ ବିଜୁଳି ଉତ୍ପାଦନ ହୋଇପାରୁଥିଲା। ୩ଟିରୁ୨ଟି ୟୁନିଟ ବନ୍ଦ କରି ଦିଆଯିବା ଯୋଗୁଁ ଏଠାରୁ ମାତ୍ର ୨୦ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇ ପାରିବ। କାଲି ପର୍ଯ୍ୟନ୍ତ ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ ବୋଲି ଜିଏମ ଶ୍ରୀ ଦାଶ କହିଛନ୍ତି। ଅନ୍ୟଦିଗରେ ବୁର୍ଲା ପାୱ‌େର ଚେନାଲ ପାଣି ଚିପିଲିମାକୁ ଆସିବାକୁ ପ୍ରାୟ ୭ରୁ୮ ଘଣ୍ଟା ଲାଗିଯାଏ। ଏଥିଯୋଗୁଁ ଆଜି ଏହାର ପ୍ରଭାବ ନେଇ କୁହାଯାଇ ପାରିବ ନାହିଁ। ଆସନ୍ତାକାଲିଠାରୁ ଏହା ପ୍ରଭାବିତ ହେବ। ସୂଚନା ଅନୁଯାୟୀ, ଚିପିଲିମା ପାୱାର ହାଉସର ୨ଟି ୟୁନିଟରୁ ୪୦ ମେଗାୱାଟ ବିଜୁଳି ଉତ୍ପାଦନ ହେଉଛି। ଜଳସଂଗ୍ରହ ୩୫୦୦ କ୍ୟୁସେକକୁ ହ୍ରାସ କରି ଦେଲେ ୨୦ ମେଗାୱାଟ ହିଁ ବିଜୁଳି ଉତ୍ପାଦନ ହୋଇ ପାରିବ ବୋଲି ଏହାର ୟୁନିଟ ପ୍ରମୁଖ ଦେବାଶିଷ ମିଶ୍ର କହିଛନ୍ତି। ସୂଚନା ଅନୁଯାୟୀ, ଏସଏଲଡିସି ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରମାନଙ୍କ ଠାରୁ ସମୁଦାୟ ୬୦୦ ମେଗାୱାଟ ବିଜୁଳି ନେଇଥାଏ। ଏଥିରୁ ବୁର୍ଲା ଏବଂ ଚିପିଲିମାରୁ ସମୁଦାୟ ୧୨୦ ମେଗାୱାଟ ରହିଛି। ଯାହା ବର୍ତ୍ତମାନ ୪୦ ମେଗାୱାଟକୁ ହ୍ରାସ ପାଇବ।

୫୯୮.୭୭ ଫୁଟରେ ପହଞ୍ଚିଛି ହୀରାକୁଦ ଜଳସ୍ତର

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୮.୭୭ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫୬୮୪ ଘନଫୁଟ ପାଣି ପ୍ରବେଶ, ୧୦,୬୪୯ ଘନଫୁଟ ପାଣି ନିଷ୍କାସିତ ହୋଇଛି। ଜଳଭଣ୍ଡାରର ଉପରମୁଣ୍ଡରେ ୦ ମିମି ବର୍ଷା, ତଳମୁଣ୍ଡରେ ୦.୩୯ ମିମି ବର୍ଷା ରେକର୍ଡ କରାଯାଇଛି।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.